ଦୁଇ ଦିନ ହେବ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ପାଦଦେଶରେ ସଫେଇ ଚାଲିଛି । ବିଭିନ୍ନ ସ୍ଥାନରେ ଥିବା କାନ୍ଥବାଡ ରଙ୍ଗ ଦିଆଯିବା ସହ ମଞ୍ଚ ବନ୍ଧା ଯାଇ ସାଜସଜା ଶେଷ ହୋଇଛି । ଅପେକ୍ଷା କେବଳ ସୋମବାରକୁ । ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କରିବେ ।ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଏହି ପର୍ଯ୍ୟଟନସ୍ଥଳୀ ନବବଧୂ ଭଳି ସଜେଇ ହୋଇଛି ।
ସୋମବାର ପୂର୍ବାହ୍ନ ୧୦ଟାରେ ପୁରୀରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜଭବନ ଯିବେ । ପୂର୍ବାହ୍ଣ ୧୧ଟାରେ ରାଷ୍ଟ୍ରପତି ଖଣ୍ଡଗିରି-ଉଦୟଗିରି ଅଭିମୁଖେ ବାହାରିବେ । ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିବା ବେଳେ ତପୋବନସ୍ଥିତ ବିଭୂତି କାନୁନ୍ଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ତାଙ୍କୁ ଭେଟିବେ । ସେଠାରେ ପ୍ରାୟ ୪୫ ମିନିଟ ରହି ରାଷ୍ଟ୍ରପତି ପୁନଶ୍ଚ ରାଜଭବନ ଯାଇ ମଧ୍ୟାହ୍ଣ ଭୋଜନ କରିବେ । ଅପରାହ୍ଣ ୪ଟା ୫୦ରେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ନିକଟ ହରିଡ଼ାମଡ଼ା ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର୍ ପରିଦର୍ଶନ କରିବେ । ସେଠାରେ ରାଷ୍ଟ୍ରପତି ‘ମିଶନ ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାର୍ନମେଣ୍ଟ’ ଗୃହକୁ ଉନ୍ମୋଚନ କରିବେ । ଏଥିସହ ରାଷ୍ଟ୍ରପତି ସ୍ପିରିଚୁଆଲ ଏଜୁକେସନ ସେଣ୍ଟର କ୍ୟାମ୍ପସ୍ ମଧ୍ୟ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମ ସାରି ସଂଧ୍ୟା ୬ଟାରେ ରାଷ୍ଟ୍ରପତି ରାଜଭବନ ଫେରି ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ । କାର୍ଯ୍ୟକ୍ରମ ସାରି ୧୨ଟା ୫୫ରେ ବିମାନବନ୍ଦରକୁ ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ଆସୁଥିବାରୁ ବିକେ ଆର୍ଟ କଲେଜ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ନାଇଜରର ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ବିକେ ଆର୍ଟ କଲେଜ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର ପ୍ରଦାନ କରିବେ ।